BLOG

Cloud-capped Hills of Mahendragiri

ମହେନ୍ଦ୍ରଗିରିର ତୃଣଭୂମି ଓ ଅନନ୍ୟ ପରିସଂସ୍ଥାନ

ପନ୍ଦର ଶହ ମିଟର ଉଚ୍ଚ ମହେନ୍ଦ୍ରଗିରି ପର୍ବତମାଳା ଉପରେ ଯେତେବେଳେ ମେଘର କୋଳରୁ ସୂର୍ଯ୍ୟ ସକାଳେ ମୁଣ୍ଡ ଟେକେ, ସେତେବେଳେ ମଣିଷର ଆତ୍ମା କିଛି ମୁହୂର୍ତ୍ତ ପାଇଁ ଯୋଡି ହୋଇଯାଏ ସୃଷ୍ଟି ସହ, ଉତ୍ପତ୍ତି ସହ। ଆକଳନ କରେ କାଳର ଗର୍ଭରେ ସେ କେତେ ନ୍ୟୁନ ଓ ପ୍ରକୃତି କେତେ ବଳିୟାନ।

ଓଡ଼ିଶାର ଗଜପତି ଜିଲ୍ଲାରେ ସ୍ଥିତ ମହେନ୍ଦ୍ରଗିରି ପୂର୍ବଘାଟ ପର୍ବତମାଳାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ହିମାଳୟ ଓ ପଶ୍ଚିମଘାଟ ପର୍ବତମାଳାର ଏକ ସଂଯୋଗ ସ୍ଥଳ ହୋଇଥିବାରୁ ଏହି ଦୁଇଟି ଅଞ୍ଚଳର ଉଦ୍ଭିଦ ପ୍ରଜାତି ଦୃଷ୍ଟିଗୋଚର ହୁଅନ୍ତି ମହେନ୍ଦ୍ରଗିରି ଠାରେ। ଯାହା ପାଇଁ ମହେନ୍ଦ୍ରଗିରିର ପରିବେଶ, ପରିସଂସ୍ଥା ଓ ଜୈବ ବିବିଧତାରେ ରହିଛି ନିର୍ଦ୍ଦିଷ୍ଟ ସ୍ୱତନ୍ତ୍ରତା। ପଶ୍ଚିମଘାଟ ସହ ସାମଞ୍ଜସ୍ୟ ଦୃଷ୍ଟିରୁ ମହେନ୍ଦ୍ରଗିରିରେ ଦେଖାଯାଉଥିବା ଜଙ୍ଗଲକୁ ‘ଶୋଲା’ ଜଙ୍ଗଲ କୁହାଯାଇଥାଏ, ଯାହା ବୁଦାଳିଆ, ମିଶ୍ରିତ ଶୁଷ୍କ ଚିରହରିତ ଅରଣ୍ୟ ଓ ତୃଣଭୂମିର ସମାହାର।

ସମୁଦ୍ର ପତ୍ତନରୁ ପ୍ରାୟ ୫୦୦୦ ଫୁଟ୍ ଉଚ୍ଚ ଅବସ୍ଥିତି ପାଇଁ ମହେନ୍ଦ୍ରଗିରିର ରହିଛି ସ୍ୱତନ୍ତ୍ର ସୂକ୍ଷ୍ମ ଜଳବାୟୁ, ଯାହା ପାଇଁ ଏଠାରେ ଦିନକରେ ବିଭିନ୍ନ ଋତୁ ଅନୁଭୂତ ହୋଇଥାଏ। ଏହି ପରି ଅନନ୍ୟ ଅବସ୍ଥିତି ଓ ପରିବେଶ ହେତୁ ମହେନ୍ଦ୍ରଗିରିର ବକ୍ଷ ଏକ ପରିସଂସ୍ଥା ଭାବେ ବିଭିନ୍ନ ବିରଳ ପ୍ରାଣୀ ଓ ଉଦ୍ଭିଦ ପ୍ରଜାତିଙ୍କ ପାଇଁ ଆବାସସ୍ଥଳୀର ଭୂମିକା ତୁଲାଇଥାଏ। ମହେନ୍ଦ୍ରଗିରିରେ ଦେଖାଯାଏ ମୋଟ୍ ୧୩୪୮ ଉଦ୍ଭିଦ ପ୍ରଜାତି ଯେଉଁଥିରୁ ପ୍ରାୟ ୩୦୦ ପ୍ରଜାତି ଔଷଧୀୟ ବୃକ୍ଷ ଓ ୬୦ଟି ପ୍ରଜାତି ବିଲୁପ୍ତପ୍ରାୟ। ଓଡ଼ିଶାରେ ଚିହ୍ନଟ ହୋଇଥିବା ଉଚ୍ଚବର୍ଗୀୟ ଉଦ୍ଭିଦମାନଙ୍କରୁ ମୋଟ୍ ୪୦ ଭାଗ ମହେନ୍ଦ୍ରଗିରିରେ ଦେଖାଯାନ୍ତି। ସେହିପରି ଏଠାରେ ମିଳନ୍ତି ମୋଟ ୩୮୮ ପ୍ରାଣୀ ପ୍ରଜାତି। 

Unique Microclimate

ମହେନ୍ଦ୍ରଗିରିର ସବୁ ଆଶ୍ଚର୍ଯ୍ୟମାନଙ୍କ ମଧ୍ୟରୁ ଅନ୍ୟତମ ହେଉଛି ଏଠାରେ ଦେଖାଯାଉଥିବା ପ୍ରଶସ୍ତ ଘାସଶଯ୍ୟା ବା ତୃଣଭୂମି। ପଥୁରିଆ ଚଟାଣ ଓ ପାହାଡ ମଝିରେ ଥିବା ଏହି ଉଚ୍ଚ ଉଚ୍ଚ ଘାସ ବିଶିଷ୍ଟ ତୃଣଭୂମି ଅଞ୍ଚଳରେ ପ୍ରବେଶ କଲେ, ପର୍ବତ ନୁହେଁ-  ହଠାତ୍ ଏକ ସମତଳ ଅଞ୍ଚଳରେ ଥିବା ପରି ଅନୁଭବ ହୁଏ। ମହେନ୍ଦ୍ରଗିରିରେ ଏହି ତୃଣଭୂମିଗୁଡିକ ମୁଖ୍ୟତଃ ପାହାଡ ଶୀର୍ଷ ଏବଂ ସମତଳ ମାଳଭୂମିରେ ଦେଖାଯାଏ, ଯାହା ପ୍ରାୟତଃ ବୃକ୍ଷ ସୀମା ଉପରେ କିମ୍ବା ଛୋଟ ଛୋଟ ବୁଦାଳିଆ ଜଙ୍ଗଲମାନଙ୍କର ମଝିରେ ରହିଥାଏ। ଏହାକୁ ଉଚ୍ଚବର୍ଗୀୟ ଶୁଷ୍କ ତୃଣଭୂମି ବା ପାର୍ବତ୍ୟ ତୃଣଭୂମି ଭାବରେ ଶ୍ରେଣୀଭୁକ୍ତ କରାଯାଇପାରେ। ପାହାଡ ଶୀର୍ଷର ଅରଣ୍ୟ ବୃକ୍ଷରାଜିଙ୍କ ପରି ଏହି ତୃଣଭୂମି ମାନେ ମଧ୍ୟ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାନ୍ତି। ସ୍ପଞ୍ଜ ଭାବେ କାମ କରି ଏହା ବର୍ଷା ଜଳକୁ ଶୋଷି ନିଅନ୍ତି ଏବଂ ଧୀରେ ଧୀରେ ଛାଡନ୍ତି, ଯାହା ଝରଣା ହୋଇ ମହେନ୍ଦ୍ରତନୟା ପରି ଚିରସ୍ରୋତା ନଦୀର ରୂପ ନେଇଥାଏ। ମହେନ୍ଦ୍ରଗିରିର ଏହିପରି ଏକ ସୁନ୍ଦର ମନୋରମ ଆବାସସ୍ଥଳୀ ଅର୍କିଡ୍, ଔଷଧୀୟ ବୃକ୍ଷ ଗୁଳ୍ମ ସହ ସ୍ଥାନ ଦେଇଥାଏ କେତେଗୁଡ଼ିଏ ନିର୍ଦ୍ଦିଷ୍ଟ ପ୍ରାଣୀଙ୍କୁ।

Aloe-leafed Orchid on Trees

ଓଡ଼ିଶାର ଖୁବ୍ କମ୍ ସ୍ଥାନମାନଙ୍କରେ ଦେଖି ହେଉଥିବା ବିପଦଶଙ୍କୁଳ ଚଢ଼େଇ ପ୍ରଜାତି ଯେପରି ସବୁଜ ମୁନିଆ (Green Avadavat) ପାଇଁ ଏହି ଘାସଶଯ୍ୟା ଚାରଣ ଭୂମିପାଲଟେ। ସେହିପରି ଏଠାରେ ସ୍ୱତନ୍ତ୍ର ଭାବରେ ଦେଖାଯାଏ ଏକ ସ୍ଥାନୀୟ (endemic) ଝିଟିପିଟି ପ୍ରଜାତି ‘ଦତ୍ତଙ୍କ ମହେନ୍ଦ୍ରଗିରି ଗେକୋ’ (Hemidactylus sushilduttai), ଯାହା ପୂର୍ବଘାଟ ପର୍ବତମାଳା ବ୍ୟତୀତ ପୃଥିବୀର ଆଉ କେଉଁଠାରେ ଦେଖିବାକୁ ମିଳେ ନାହିଁ। ପିଠିରେ ପଟା ପଟା ଦାଗ ଥିବା ଏହି ବୃହତ୍ ଶରୀର ବିଶିଷ୍ଟ ଝିଟିପିଟି ପ୍ରଜାତି ପଥର ଫାଙ୍କରେ ବାସ କରେ। ତୃଣଭୂମି ଅଞ୍ଚଳରେ ଥିବା ବଡ଼ ବଡ଼ ପଥର ଖଣ୍ଡ ଓ ପାହାଡ ସନ୍ଧିରେ ଏମାନେ ମିଳନ୍ତି। ସେହିପରି ପୂର୍ବଘାଟ ପର୍ବତମାଳାର ଆଉ ଏକ ସୁନ୍ଦର ସ୍ୱତନ୍ତ୍ର ସ୍ଥାନୀୟ ଝିଟିପିଟି ପ୍ରଜାତି ସୁବର୍ଣ୍ଣ ବା ‘ଗୋଲ୍ଡେନ୍ ଗେକୋ’ (Calodactylodes aureus) ମଧ୍ୟ ମହେନ୍ଦ୍ରଗିରିରେ ଦେଖିବାକୁ ମିଳିଥାଏ।

Dutta’s Mahendragiri gecko

ମହେନ୍ଦ୍ରଗିରି ମଧ୍ୟ ରାମାୟଣ, ମହାଭାରତର ଅନେକ ପୌରାଣିକ କାହାଣୀ ଓ କିମ୍ବଦନ୍ତୀ ସହ ଜଡ଼ିତ। ହନୁମାନ ଲକ୍ଷ୍ମଣଙ୍କୁ ବଞ୍ଚାଇବା ପାଇଁ ହିମାଳୟରୁ ଟେକି ନେଇଥିବା ଦ୍ରୋଣଗିରି ପର୍ବତର ଏକ ଖଣ୍ଡ ମହେନ୍ଦ୍ରଗିରିରେ ଖସି ପଡ଼ିଥିବାରୁ ଏଠାରେ ବିଭିନ୍ନ ଔଷଧୀୟ ବୃକ୍ଷ ଦେଖା ଯାଉଥିବାର ବିଶ୍ବାସ ରହିଛି। ଏଠାରେ ବାସ କରୁଥିବା ଶବର ବା ସୌରା ସମ୍ପ୍ରଦାୟର ଲୋକ ଏହି ପାହାଡ଼ରେ ‘ସଞ୍ଜୀବନୀ’ ବା ‘ବିଶଲ୍ୟକରଣୀ’ (Selaginella bryopteris) ଉଦ୍ଭିଦ ଥିବାର ବିଶ୍ୱାସ କରନ୍ତି। ମହେନ୍ଦ୍ରଗିରିରେ ଥିବା କୁନ୍ତୀ, ଭୀମ, ଅର୍ଜୁନ ଏବଂ ଯୁଧିଷ୍ଠିରଙ୍କ ପ୍ରାଚୀନ ମନ୍ଦିରଗୁଡ଼ିକ ପୁରାତାତ୍ତ୍ୱିକ ଦୃଷ୍ଟିରୁ ମହତ୍ତ୍ୱ ବହନ କରୁଥିବାରୁ ଏସବୁକୁ ସରକାରଙ୍କ ଦ୍ୱାରା ସଂରକ୍ଷିତ ସ୍ମାରକୀ ଭାବେ ଘୋଷଣା କରାଯାଇଛି। ସମ୍ପୂର୍ଣ୍ଣ ମହେନ୍ଦ୍ରଗିରିକୁ ମଧ୍ୟ ପ୍ରଦାନ କରାଯାଇଛି ଏକ ଜୈବ ବିବିଧତା ଐତିହ୍ୟ ସ୍ଥଳୀର ମାନ୍ୟତା । ଔଷଧୀୟ ବୃକ୍ଷ ଗୁଳ୍ମର ଅତ୍ୟଧିକ ସଂଗ୍ରହ ପାଇଁ କ୍ରମଶଃ ବିଲୁପ୍ତି ଦ୍ୱାରକୁ ଆସିଯାଇଥିବା ଏଠାର ଉଦ୍ଭିଦରାଜି, ସ୍ୱତନ୍ତ୍ର ପ୍ରାଣୀ ସମୂହ ତଥା ସ୍ଥାନୀୟ ସୌରା ଜନଜାତିଙ୍କ ପାରମ୍ପରିକ ଜ୍ଞାନ ଓ ଚଳଣିକୁ ସୁରକ୍ଷା ଯୋଗାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି।

ସୌରାଙ୍କ ପାଇଁ ଏକ ପବିତ୍ର ସ୍ଥଳ ଏବଂ ସର୍ବସାଧାରଣଙ୍କ ପାଇଁ ଧାର୍ମିକ ପୀଠ ଭାବେ ମହେନ୍ଦ୍ରଗିରି ବର୍ଷକୁ ପ୍ରାୟ ୧୩ ଲକ୍ଷରୁ ଊର୍ଦ୍ଧ୍ୱ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏହି ଅନିୟନ୍ତ୍ରିତ ପର୍ଯ୍ୟଟନ, ବିଶେଷ କରି ଅସଭ୍ୟ ପର୍ଯ୍ୟଟକ ପ୍ଲାଷ୍ଟିକ ବୋତଲ, ଖାଦ୍ୟ ଜରି, ଆବର୍ଜନା ଏଣେତେଣେ ପକାଇବା ଦ୍ୱାରା ବର୍ତ୍ତମାନ ମହେନ୍ଦ୍ରଗିରିର ପବିତ୍ରତା ଓ ପରିସଂସ୍ଥା ଉପରେ ପ୍ରତିକୂଳ ଚାପ ପଡୁଥିବାର ଦେଖାଦେଲାଣି। ଆବର୍ଜନାରେ ପୋତି ହୋଇ ଏହାର ମୃତ୍ତିକା ଶ୍ୱାସରୁଦ୍ଧ ହୋଇ ଜଙ୍ଗଲ କ୍ଷୟ ହେବା ସହ ଚିରସ୍ରୋତା ଝରଣା ଶୁଖିଯିବାର ସମ୍ଭାବନା ଦେଖାଦେଲାଣି। ଲାଣ୍ଟାନା (Lantana camara) ପରି କ୍ଷତିକାରକ ଉଦ୍ଭିଦ ପ୍ରଜାତି କ୍ରମଶଃ ମାଡ଼ି ପର୍ବତ ଶିଖରରେ ପହଞ୍ଚି ସାରିଲେଣି।ଏହି ବିଦେଶୀ ଉଦ୍ଭିଦ ଦ୍ରୁତ ଗତିରେ ମାଡ଼ି ସ୍ଥାନୀୟ ଉଦ୍ଭିଦ ପ୍ରଜାତିଙ୍କୁ ବଢ଼ିବାକୁ ସୁଯୋଗ ଦିଏ ନାହିଁ ଏବଂ ଗ୍ରୀଷ୍ମ ଋତୁରେ ବନାଗ୍ନିର କାରଣ ମଧ୍ୟ ସାଜେ।

Streams from The Hills

ମହେନ୍ଦ୍ରଗିରି ସମଗ୍ର ଦକ୍ଷିଣ ଓଡ଼ିଶାର ପରିବେଶ ସନ୍ତୁଳନ ବଜାୟ ରଖିବା ସହ ଜଳବାୟୁ ନିୟନ୍ତ୍ରଣ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସ୍ଥାନୀୟ ଅଧିବାସୀଙ୍କ ମତରେ ଏକଦା ବର୍ଷସାରା ଶୀତଳ ଜଳବାୟୁ ଅନୁଭୂତ ହେଉଥିବା ବେଳେ ବର୍ତ୍ତମାନ ଏଠାରେ ତାରତମ୍ୟ ପରିଲକ୍ଷିତ ହେଉଛି। ବୃଷ୍ଟିପାତ ଏବଂ ପରିମାଣରେ ଅନିୟମିତତା ଦେଖାଯାଉଛି। ମହେନ୍ଦ୍ରଗିରିରୁ ଜାତ ହୋଇଥିବା ପାହାଡ଼ି ଝରଣା ସାଧାରଣତଃ ସର୍ବଦା ଚିରସ୍ରୋତା ହୋଇଥିବା ବେଳେ ବର୍ତ୍ତମାନ ଗ୍ରୀଷ୍ମଋତୁରେ ଏହା ଶୁଖିଯାଉଥିବାର ଦେଖାଯାଉଛି।

ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପାୟନ ସମୟରେ ମହେନ୍ଦ୍ରଗିରି ଜୈବିକ ସମ୍ପଦର ଦୀର୍ଘମିଆଦି ସୁରକ୍ଷା, ସଂରକ୍ଷଣ ଏବଂ ପରିଚାଳନା ପାଇଁ ପଦକ୍ଷେପ ନେବା ନିହାତି ଜରୁରୀ। ଏହାକୁ କେବଳ ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ନଦେଖି ଏକ ଗୁରୁତ୍ୱପୂର୍ଣ୍ଣ ପରିବେଶ ସ୍ଥଳୀ ଭାବେ ବିବେଚନା କରାଯିବା ଉଚିତ। କିନ୍ତୁ ଏହା କେବଳ ସରକାରୀ ସ୍ତରରେ ହିଁ ସମ୍ଭବ ନୁହେଁ, ଆମେ ସାଧାରଣ ଲୋକ ମଧ୍ୟ ମହେନ୍ଦ୍ରଗିରିର ପବିତ୍ରତାକୁ ସମ୍ମାନ ଜଣାଇ ଏହାର ସୁରକ୍ଷା ପାଇଁ ଯତ୍ନବାନ ହେବା ଆବଶ୍ୟକ। ବିଶେଷକରି ପର୍ବତରେ ଦେଖାଯାଉଥିବା ପ୍ଲାଷ୍ଟିକ ଆବର୍ଜନା ଆମ ଦ୍ବାରା ରୋକା ଯାଇପାରିବା ସମ୍ଭବ। କେବଳ ବନବିଭାଗକୁ ସବୁବେଳେ ଦୋଷ ଓ ଦାୟିତ୍ବ ଧରେଇ ନଦେଇ, ଏକ ସଚେତନ ନାଗରିକ ଓ ଦାୟିତ୍ବବାନ ପର୍ଯ୍ୟଟକର କର୍ତ୍ତବ୍ୟ ତୁଲାଇବା।

Photo Credits:
Dutta’s Mahendragiri Gecko by Srichakra Pranav
Golden Gecko by Biswajit Harpal
Rest by Balaram Khatua

You may also like

Comments

No Comments

Leave a comment

Your email address will not be published. Required fields are marked *