BLOG

tapwater

କଳପାଣି

ବହୁ ବର୍ଷ ହେବ ଗପ ଲେଖିନି। ମୁଁ ଗାଳ୍ପିକ ନୁହେଁ। ତେଣୁ ମୋର ସବୁବେଳେ ଲେଖିବାର ଆବଶ୍ୟକତା ନାହିଁ। କାରଣ ବାବା କହୁଥିଲେ ‘ସବୁବେଳେ ଲେଖିଲେ ହିଁ ଗାଳ୍ପିକ ହୋଇପାରିବ। ଲୋକ ଜାଣିବେ।’ ଲେଖିବାକୁ ମୋ ପାଖରେ କାହାଣୀ ଥାଏ, ହେଲେ ବି ଲେଖେନି। ହଲରେ ଦେଖିଥିବା କେଉଁ ଓଡ଼ିଆ ଚଳଚ୍ଚିତ୍ରର ସମୀକ୍ଷାକୁ ମୋର ଫେସବୁକରେ ପଢି ସରୋଜ ଭାଇ ଯେବେ ବେଳେ ବେଳେ ଫୋନ କରନ୍ତି, ପଚାରନ୍ତି ‘ଆଉ କ’ଣ ଲେଖାଲେଖି କରୁଛ ନା ନାହିଁ’ ? ମୁଁ ମନା କରେ। ସେ କହନ୍ତି ‘ତମ ଭିତରେ ଲେଖିବାର କଳା ଅଛି, କିନ୍ତୁ ତମେ ଲେଖୁନ ଆଉ…!’ ମୋ ଭିତରେ କଳା ଅଛି! କେଜାଣି, ମୁଁ ଜାଣିନି। ସପ୍ତମ ଶ୍ରେଣୀରେ ସାହିତ୍ୟର ମନୋରମା ଗୁରୁମା କହୁଥିଲେ- ମୋର ଲେଖାରେ ଭାଷା ନାହିଁ, ବାସ୍ନା ନାହିଁ । ପୁରା କଳପାଣି ।

ହେଲେ ବି, ଶେଷ କେବେ ଗପ ଲେଖିଥିଲି ? ୨୦୧୫ରେ ବୋଧେ ! ନବକଳେବର ପରେ ମାସେ ଛୁଟି ନେଇ ଘରେ ରହିଥିଲି। ପୁରୀରେ କେହି ସାଙ୍ଗ ନାହାନ୍ତି । ଭାଇମାନେ ବି ଦୂରରେ। ସମୁଦ୍ରକୂଳ ଗୋଟିଏ ଏମିତିକା ଜାଗା ଯେଉଁଠି ଦଶପନ୍ଦର ମିନିଟ, ଅଧଘଣ୍ଟା ଚୁପ୍ ବସାଯାଇପାରିବ, ତା’ପରେ ମନ କିନ୍ତୁ ଟିକେ ମନୋରଞ୍ଜନ ଖୋଜିବ। ସଞ୍ଜିତ ଥିଲେ କ’ଣ ଗପିଥାନ୍ତା, ବାପୁଜୀ ଥିଲେ କ’ଣ ଗପିଥାନ୍ତା, ଶିଳ୍ପୀ ଥିଲେ କ’ଣ ଗପିଥାନ୍ତା- ମୁଁ ମନେ ପକାଉଥିଲି ବେଳେବେଳେ ବାଲିରେ ବସି । ଏମାନେ ତ ପରିଚିତ ଭାଇ, ବନ୍ଧୁ, ପ୍ରେମିକା। ଗୋଟେ ଅଚିହ୍ନା ଲୋକ ପାଖରେ ବସିଥିଲେ, ମୋ ପରି ଗୋଟେ ଇଣ୍ଟ୍ରୋଭର୍ଟ କ’ଣ ଗପିଥାନ୍ତା ? ବାପୁଜୀ ଫେସବୁକରେ ଛାପିଥିବା ତା’ ୟୁନିଭର୍ସିଟିର ଗୋଟେ ଗ୍ରୁପ୍ ଫଟୋରେ ବିଦେଶୀ ଝିଅର ମୁହଁଟା ମନେ ପଡିଲା । ତାକୁ ନେଇ ଲେଖିଥିଲି ଗପ। ଅବଶ୍ୟ ଲେଖିଲା ବେଳକୁ ଗପଠୁ ବଡ଼ ଏବଂ ଉପନ୍ୟାସଠୁ ଛୋଟ ହୋଇଯାଇଥିଲା। ପ୍ରକାଶନ ପାଇଁ ତାକୁ କେତୋଟି ପତ୍ରିକାକୁ ପଠେଇଥିଲି। କିନ୍ତୁ ଅଧା ଓଡ଼ିଆ ଅଧା ଇଂରାଜୀରେ ଥିବାରୁ ବୋଧେ ତାହା ପ୍ରକାଶ ଯୋଗ୍ୟ ହୋଇନଥିଲା। ବଡ଼ବାପାଙ୍କୁ କେବେ ସେହି ଲେଖାଟି ପଠେଇଥିଲି ମନେନାହିଁ, ବହୁ ବର୍ଷ ପରେ ତାକୁ ଏକ ବହି ଆକାରରେ ଛାପି ମତେ ବାପା ଜନ୍ମଦିନରେ ଉପହାର ଦେଇଥିଲେ। ବାସ୍, ତା’ପରଠୁ ସେ ବହି ମୋ ପାଖରେ ଅଛି, କେହି ଦେଖିନାହାନ୍ତି, ମୁଁ ଫେସବୁକରେ ଛାପିନି। ମତେ ନିଜ ନାଁରେ ବହି ଦେଖିବାର ବୋଧେ କୌଣସି ଆକର୍ଷଣ ନାହିଁ। ପତ୍ରିକାରେ ପ୍ରକାଶ ପାଇଥିଲେ କାହାର ପଢିବାର ଇଚ୍ଛା ଥିଲେ ପଢିଥାନ୍ତା ବା ପଢିନଥାନ୍ତା ! ବାପାଙ୍କର ସେଦିନର ‘ସପ୍ରାଇଜ’ରେ ମୁଁ ଖୁସି ହୋଇଥିଲି, କିନ୍ତୁ ବହିକୁ ନେଇ ମୋର ପରବର୍ତ୍ତୀ ସମୟରେ ନିରବତା ଦେଖି ହୁଏତ ସେ କ’ଣ ଭାବିଥିବେ !

ଏବେ ଏଇ କଥା ଲେଖିଲା ବେଳକୁ ମନେ ପଡୁଛି ୨୦୧୮ରେ ବି ଗୋଟେ ଗପ ଲେଖିଥିଲି। ମାମା ସେତେବେଳେ ରହୁଥିଲା ମୋ ସହ ଭୁବନେଶ୍ୱରରେ, ଗୋଟିଏ ବଖରା ଘରେ। ରାତିରେ ସ୍ୱପ୍ନ ଦେଖିଥିଲି । ଗୋଟେ ରାତି ହେଉନଥିବା ଦିନର ଅର୍ଥ ଖୋଜୁ ଖୋଜୁ ସେଇ ରବିବାର ଖରାବେଳେ ଗୋଟାଏ ଥରକରେ ଗପକୁ ଲେଖି ସାରିଥିଲି। ଗୋଟେ ପତ୍ରିକାକୁ ପଠେଇ ଦେଇଥିଲି ଏବଂ ଜୀବନରେ ପ୍ରଥମ ଥର ପାଇଁ କୌଣସି ବାପା-ବଡ଼ବାପା, ଚିହ୍ନା ପରିଚୟ ବିନା ଗପ ପ୍ରକାଶ ପାଇଥିଲା। ନିତିଦିନ ଖବରକାଗଜର ସେଇ ‘ନନ୍ଦିକା’ ସାହିତ୍ୟ ପତ୍ରିକା ଆଉ ବାହାରୁଛି ନା ନାହିଁ କେଜାଣି ?

ଏହା ଭିତରେ ସାତ ବର୍ଷ ହୋଇଗଲାଣି। ଆଉ ଗପ ଲେଖିନି। ବର୍ଷେ ତଳେ ଶିମିଳିପାଳରେ ଅନୁଭୂତିକୁ ନେଇ ଏକ ଭ୍ରମଣ କାହଣୀ ଲେଖିଥିଲି। ଯଦିଓ ସେଥିରେ ତିନୋଟି ଚରିତ୍ର ଥିଲେ, ତାକୁ କ’ଣ ଗପ କୁହାଯାଇପାରିବ!

ସେତିକି। ଆଉ କିଛି ନାହିଁ। ଦୁଇ ତିନୋଟି ଗପ ଆରମ୍ଭ ତ ହୋଇଛନ୍ତି କିନ୍ତୁ ସରିପାରି ନାହାନ୍ତି। ଇଚ୍ଛା ହୋଇନି, ମଜା ଲାଗିନି, କଷ୍ଟ ହୋଇନି। ଅତୀତର ସହପାଠିନୀ, ସହକର୍ମୀଙ୍କୁ ନେଇ ଗୋଟେ ଗପ, ବହୁ କଷ୍ଟ ଦେଲା, ଅଧା ରହିଗଲା। ବୋଉର ଜନ୍ମଦିନ ଦିନ ବାପା ଭଞ୍ଜକଳା ମଣ୍ଡପରେ ତାଙ୍କର ଲେଖାକୁ ନେଇ ଗୋଟେ ନାଟକ କରୁଥିଲେ। ତାକୁ ଦେଖି ଆସିବା ବାଟରେ ଗୋଟେ ଗପ ଫାନ୍ଦିଥିଲି। ଲେଖିଦେଇଥିଲେ ସରିଥାନ୍ତା। ହୋଇପାରିଲାନି। ମନରେ ଠିକ୍ ଥିଲା, କାଗଜରେ ବଢ଼ିପାରିଲାନି। କୁନ୍ଥେଇ ମୁଁ କିଛି ଲେଖିପାରେନି। ପବନ ହେଲେ ଡଙ୍ଗା ଚାଲେ। ଝଡ଼ ହେଲେ ଡଙ୍ଗା ଉଡ଼େ।

କାଲି ଡ୍ର’ ଖୋଲିଲା ବେଳକୁ ଦେଖିଲି ବହୁତ ଗୁଡ଼େ କଲମ ଅଛି । ଆଉ କେଉଁଥିରେ ବି କାଳି ସରିନି। ବର୍ଷେ ତଳେ କିଣିଥିବା କଲମ ପ୍ୟାକେଟ୍‌ର ଜରି ବି ଛିଣ୍ଡା ହୋଇନି। ବହୁ ବର୍ଷ ହୋଇଯିବ ଗପ ଲେଖିନି।

କ’ଣ ନେଇ ଗପ ଲେଖିବି! ଆଉ ତ କିଛି ଘଟୁନି। ପୂର୍ବ ପରି ତ ଆଉ ସ୍ୱପ୍ନ ଦେଖୁନି। ଦେଖିଲେ ବି ସକାଳୁ ଆଉ ମନେ ରହୁନି। କାଲି ଦେଖିଥିଲି ପ୍ରଥମ ଥର ପାଇଁ ମିଶ୍ରିକୁ। ବାପୁଜୀର ଝିଅ। କାନାଡାରେ ରହୁଛି। ଏହା ଭିତରେ ବଡ଼ ହୋଇଗଲାଣି। ସାଇକେଲ ଚଲେଇଲାଣି। ମୁଁ କିନ୍ତୁ ତାକୁ ସ୍ୱପ୍ନରେ ଦେଖିଛି ତା’ର ଛୋଟବେଳ ଆକାରରେ। ଛଅ ବର୍ଷ ତଳେ ଯେବେ ସେ ଆସିଥିଲା। ଯେତେବେଳେ ସେ କାଖ ହେଉଥିଲା। ଛୋଟଟେ ଥିଲା। ମୁହଁ ଗୋଲ୍ ଥିଲା। ଅନ୍ୟ ଛୁଆଙ୍କ ପରି କେବେବି କାନ୍ଦେନି। ମୁଁ ତାକୁ କାଖେଇ ହତାରେ ଯେତେବେଳେ ବୁଲାଏ, ସେ ଏକଦମ୍ ଚୁପ୍ ରହେ। ଏ ପତ୍ରକୁ ସେ ଫୁଲକୁ ଅନାଏ। ସମୟ ସମୟ ଧରି। ମନ ଭରିଗଲା ପରେ ବହୁ ଧୀରେ ଦେହକୁ ଥରେ ହଲାଏ, ମତେ ଲାଗେ ସେ ଆଉ କିଛି ନୂଆ ଦେଖେଇବାକୁ ନେବାକୁ କହୁଛି। ବେଳେବେଳେ ଏତିକି ବି କରେନି। ମୁଁ ଭାବେ କାଳେ ସେ କାନ୍ଧରେ ଶୋଇଗଲାଣି କି?, ମୁଁ ଜାଣିପାରିନି! କିନ୍ତୁ ସେ ଚେଇଁଥାଏ। ଅନେଇଥାଏ କେଉଁ ଆମ୍ବ ବଉଳକୁ, ନହେଲେ ମୁଣ୍ଡ ହଲୁଥିବା ଏଣ୍ଡୁଅକୁ। କାଲି ସ୍ୱପ୍ନରେ ମିଶ୍ରିକୁ ଦେଖିଥିଲି ପୁରୀ ମନ୍ଦିରରେ। ବଟବୃକ୍ଷ ପରେ ନାଟମଣ୍ଡପରୁ ଲକ୍ଷ୍ମୀ ମନ୍ଦିର ଆଡ଼କୁ ଗଲା ବାଟରେ। ସନ୍ଧ୍ୟା ହୋଇଥିଲା। ଭାଇ ତାକୁ ବାଁ କାନ୍ଧରେ ବସେଇ ଚାଲିଥିଲା ଆଗକୁ। ମୁଁ ପଛରେ କିଛି ଦୂରରେ ଥାଇ ମିଶ୍ରିକୁ ଟା-ଟା କଲେ ମିଶ୍ରି ମତେ ଅନେଇ ହସିଦେଉଥିଲା। କେଉଁ ପୂଜାରୀ ତା ମୁଣ୍ଡରେ ସିନ୍ଦୂର ଲଗେଇ ଦେଇଥିଲା କି କ’ଣ, ଅଧା ଲେସି ହୋଇଯାଇଥିଲା। କିଛି ଲାଗିଥିଲା ଭାଇର ଧଳା ପଞ୍ଜାବୀରେ, ଆଉ କିଛି ମିଶ୍ରି ହାତରେ। ନାଲି ରଙ୍ଗର। ଠିକ୍ ମିଶ୍ରିର ଫ୍ରକ୍ ପରି।

ପାହାନ୍ତିଆ ବେଳକୁ ଆଉ ଏକ ସ୍ୱପ୍ନ ଦେଖିଥିଲି। ବନ୍ୟପ୍ରାଣୀ ବିଶାରଦ ବିଭାସ ପାଣ୍ଡବ, ଯାହାଙ୍କୁ ମୁଁ ଜୀବନରେ ମାତ୍ର ଦୁଇଥର ଭେଟିଛି, ଯିଏ ମତେ ଜାଣି ବି ନଥିବେ, ଏବଂ ପୂର୍ବତନ ବନଖଣ୍ଡ ଅଧିକାରୀ ସୁରେଶ ମିଶ୍ର, ଯାହାଙ୍କୁ ମାତ୍ର ଥରେ ଭେଟିଛି, ତାଙ୍କ ସହ ଗାଡ଼ିରେ ବସି ମୁଁ ଶିମିଳିପାଳ ଭିତରେ ଯାଉଛି। ମୁଁ ଆଗରେ ଡ୍ରାଇଭର ପାଖରେ ବସିଛି ଏବଂ ସେମାନେ ଦୁଇଜଣ ପଛରେ। ବର୍ଷା ହେଉଛି। ବାସ୍, ଆଉ କିଛି ମନେ ନାହିଁ।

ସ୍ୱପ୍ନରୁ ଅର୍ଥ ଖୋଜିବା ବୋଧେ ମୁଁ ବନ୍ଦ କରିଦେଇଛି। ସବୁ କଥାରୁ ଅର୍ଥ ଖୋଜୁଥିବା ଲୋକର ଜୀବନ ପ୍ରାୟତଃ ସବୁବେଳେ ନିରର୍ଥକ ହୋଇଥାଏ। ତେଣୁ ଆଉ ଗପ ଲେଖୁନି। କେବଳ ଗଛ ଲଗଉଛି। ଏବେ ଭୁବନେଶ୍ୱରର ଭଡ଼ା ଘରେ ତିନୋଟି ବଖରା ଅଛି। ପଛକୁ ଛଅ ସାତ ଫୁଟ୍‌ର ଜାଗା ଅଛି। ୨୦୧୯ ପରଠାରୁ ସେଠି କୁଣ୍ଡରେ ଗଛମାନଙ୍କୁ ବଢ଼େଇ ବାରି ପଟକୁ ଶିମିଳିପାଳ ପରି ସବୁଜ କରିବାକୁ ଚେଷ୍ଟା କରୁଛି। ଯେମିତି ଝରକା ଖୋଲିଲେ ବର୍ଷାର ଓଦା ହେଉଥିବା ପତ୍ରଙ୍କୁ ଦେଖିହେବ, ପ୍ରଜାପତି ଉଡ଼ିବା ଦେଖିହେବ।

ଏବେ ଗଛଗୁଡ଼ିକ ବଡ଼ ହୋଇଗଲେଣି। ସକାଳୁ ଉଠିଲା ବେଳକୁ ନହେଲେ ଅଫିସ୍‌ରୁ ଫେରିଲା ବେଳକୁ ମାମା ସେଦିନ କେଉଁ ଗଛରେ କେତେ ଫୁଲ ଫୁଟିଛି କୁହେ। ଠାକୁରଙ୍କୁ ଦେବା ପାଇଁ ସବୁ ତୋଳିଲା ନା କିଛି ପ୍ରଜାପତି ମହୁମାଛିଙ୍କ ପାଇଁ ଛାଡ଼ିଦେଲା କୁହେ। ଏଇ ଖରାଦିନେ ତ ଗୋଟେ ଗଛରେ ଆସି ବୁଲବୁଲ୍ ଚଢ଼େଇ ବସା କରିଛି। ଛୁଆ ଫୁଟେଇ ବଡ଼ କରି ପୁଣି ଉଡ଼ିଯାଇଛି। ବାବା ଦେଖିଛନ୍ତି ସେ ତା’ ଛୁଆଙ୍କୁ ଉଡ଼ିବାକୁ ପ୍ରବର୍ତ୍ତାଉଥିଲା ବେଳେ। ସେଦିନ ଅକ୍ଷୟ ତୃତୀୟା ଥିଲା। ଗଛରେ ଖାଲି ବସା ଦେଖି ମାମା କହୁଛି ‘ଚଢ଼େଇ ଥିଲେ ଭଲ ଲାଗୁଥିଲା। ବୋବାଉଥିଲେ।’ ମୁଁ ତାକୁ କହିଛି ପୁଣି ଆସନ୍ତା ଖରାଦିନେ ସେମାନେ ଆସିବେ।

ମୋ ବଖରାରୁ ବାରି ପଟକୁ ଦେଖାଯାଉଥିବା ଝରକା ଆଗରେ ମୁଁ ପଢ଼ା ଟେବୁଲ୍ ଚେୟାର୍ ପକେଇଛି। ବର୍ଷରେ ଦଶ ଦିନ ବି ଟେବୁଲ୍ ପାଖରେ ମୁଁ ବସୁନଥିବି। ଯେତେବେଳେ ବସେ ଝରକା ଆରପଟେ ଥିବା ଆରିକା ପାମ୍ ଗଛକୁ ଦେଖି ମୋ ସମୟ ପଳାଏ। ରାଜା ଭାଇ ଦେଇଥିଲେ ସେଇ ଗଛ। ତାଙ୍କୁ ସେଇ ଗଛ ଦେଇଥିଲା ଗୋଟେ ଜର୍ମାନ ବୁଢ଼ୀ, ଡୋରିନ୍। ଡୋରିନ୍‌ର ଗଛ ଏବେ ପୁରା ଗହଳ। ମୋ ଝରକା ବାହାର ପୁରା ଶିମିଳିପାଳ। ଡୋରିନ୍ କିନ୍ତୁ ଆଉ ନାହିଁ। ଡୋରିନ୍‌ର ଗଛ ପାଖରେ ଅଛି ସଜନୀର ଟଗର ଗଛ। ସଜନୀ ଆଗରୁ ଆମ ଘରକୁ କାମ କରିବାକୁ ଆସୁଥିଲା। ଟେରି ମୋଟି ସ୍ତ୍ରୀ ଲୋକ। ବଡ଼ ପାଟିରେ କଥା ହୁଏ, ବଡ଼ ପାଟିରେ ହସେ। କେଉଁ ଆଡୁ ଆଣି ଗୋଟେ ଭଙ୍ଗା କୁଣ୍ଡରେ ପୋତି ଦେଇଥିଲା ଟଗରର ଡାଳ। ମୁଁ ଭାବିଥିଲି ବଞ୍ଚିବନି, ଏବେ ବଡ଼ ହୋଇ ସେଥିରେ ଫୁଲ ଫୁଟୁଛି।

ଏଇ ଛଅ ସାତ ଫୁଟ୍‌ର ବାରି ପଛ ପଟେ ଅଛି ଗୋଟେ ଦୁଇ ମହଲା ଘର। ଛାତ ଉପରେ ଆମ ବାରି ପଟକୁ ମୁହଁ କରି ଅଛି ଏହାର ପାଣି ଟାଙ୍କିର ପାଇପ୍। ଅବେଳରେ ପାଣି ମୋଟର ଚାଲେ ଏଇ ଘରେ ଏବଂ ଓଭରଫ୍ଲୋ ପାଣି ଭୁସଭୁସ ହୋଇ ପଡ଼େ ତଳକୁ, ଆମ ବାରି ଆଡ଼କୁ। ଲୁଗା ଶୁଖୁଥିଲେ ଓଦା ହୋଇଯାଏ। କିନ୍ତୁ ମୁଁ କିଛି ଖରାପ ଭାବେନି। ସେ ପାଣି ପଡ଼ି ଆମ ଗଛମାନଙ୍କ ପାଇଁ ଏକ ଉପଯୁକ୍ତ ଓଦା ଗୁଳୁଗୁଳିଆ ପାଣିପାଗ ତିଆରି କରେ। ଡୋରିନ୍‌ର ଗଛ ଠିକ୍ ଅନୁପାତରେ ପାଣି ପାଇ ଛନଛନ ସବୁଜ ଦେଖାଯାଏ। ଝରକା ବାହାରେ ଥାଇ ହସେ। ସେଇ ଦୁଇ ମହଲା ଘରେ କିଏ ଅଛନ୍ତି ମୁଁ କେବେ ଦେଖିନି। ଏହାର ଝରକା ଯଦିଓ ଆମ ବାରି ଆଡ଼କୁ ମୁହଁ କରିଛନ୍ତି, ପ୍ରାୟତଃ ସବୁବେଳେ ବନ୍ଦ ଥାଏ। କିନ୍ତୁ ଶବ୍ଦ ଆସେ – ସ୍ୱାମୀ-ସ୍ତ୍ରୀଙ୍କର ପାଟିତୁଣ୍ଡର, ଟିଭିରେ ସିରିଏଲ୍‌ର, ଜେଜେମା ନାତୁଣୀଙ୍କ ସ୍ନେହର ଓ ସଜନୀର। ସଜନୀ କାମ କରେ ଏଇ ଘରେ। ମୁଁ ବାରିଆଡ଼େ ଗଛରେ ପାଣି ଦେଉଥିଲା ବେଳେ ବା କ’ଣ କରୁଥିଲା ବେଳେ ତା’ର ପାଟି ଶୁଭାଯାଏ ଘର ଭିତରୁ। ସେଇ ଘରେ ସ୍ୱାମୀ-ସ୍ତ୍ରୀ ଚାକିରିଆ। ସ୍ୱାମୀ ନମ୍ର ସ୍ୱଭାବର, ଧୀର ସ୍ୱର। ସ୍ତ୍ରୀର ସ୍ୱର ସଜନୀଠୁ ବି ଅଧିକ। ଭୀଷଣ ରାଗୀ। ତା’ର ପାଟି ଯେତେବେଳେ ଶୁଭାଯାଏ, ସେତେବେଳେ ସେ ମୁଖ୍ୟତଃ ଚିଲଉଥାଏ – ସ୍ୱାମୀ ଉପରେ, ଝିଅ ଉପରେ, ନହେଲେ ଶାଶୁ ଉପରେ। ବେଳେବେଳେ ଭଲରେ କଥା ହେବା ଆରମ୍ଭ କରିଥିବ, ହଠାତ୍ ରାଗିଯିବ। ତା’ ପରେ ଚାଲିବ ଅସୀମିତ କାଳ ପାଇଁ ପାଟି – ସ୍ୱାମୀ ସହ, ତା’ ବଳିଦାନର, ଦାୟିତ୍ୱର କିମ୍ବା ସ୍ୱାମୀଙ୍କ ଦାୟିତ୍ୱବୋଧ ଅଭାବର। ସ୍ୱାମୀ ସବୁବେଳେ କଥା ନବଢ଼େଇ ଶୀଘ୍ର ଚୁପ୍ ହୋଇଯାଏ “ମୋର ଭୁଲ ହୋଇଛି” କହି। ଝିଅକୁ ଗାଳି ବେଳେ “ତୁ ମରୁନୁ, କାହିଁକି ବଞ୍ଚିଛୁ, ମରିଯା, ତୋ ଗାଧୋଇବା ସରୁନି, ନିଦ ଭାଙ୍ଗିବନିକି ଆଜି” ଆଦି କୁହେ। ଶାଶୁ କେବଳ ଗାଳି ଶୁଣେ, କିଛି କହେନି। ବାପା ଝିଅକୁ ଖୁବ୍ ଭଲ ପାଏ। ଅଫିସ୍‌ରୁ ଆସିଲା ପରେ ବୋଧେ ଝିଅର କବାଟ ବାଡ଼େଇ “ଖାଇଲୁଣି” ପଚାରେ, “ଆମ୍ବ ଆଣିଛି” କୁହେ। ଦିନେ ବାପା, ମା, ଝିଅ ସ୍ୱାଭାବିକ ଭାବେ କଥା ହେଉଥିଲା ବେଳେ ଝିଅ କହିବାର ଶୁଣିଥିଲି “ମୋ ବାପା ଭଲ”। ସ୍ୱାମୀ-ସ୍ତ୍ରୀଙ୍କର ପାଟିତୁଣ୍ଡ ଚାଲିଥିବା ବେଳେ ଝିଅ ଝଗଡ଼ା ବନ୍ଦ କରିବାକୁ ଚେଷ୍ଟା କରେ – “ହଉ ହେଲା, ଏଥର ବନ୍ଦ କର, ବହୁତ ହୋଇଗଲା, ଥାଉ”। ଆଉ ବେଳେବେଳେ “ଓଃ ପୁଣି ଆରମ୍ଭ ହୋଇଗଲା” କହି ଚୁପ୍ ହୋଇଯାଏ – ବୋଧେ ନିଜ ରୁମ୍‌ରେ ପଶି କବାଟ ବନ୍ଦ କରିଦେଇ । ବେଳେବେଳେ ଝିଅ ବି ମା ଉପରେ ଚିଲାଏ, ପ୍ରତିବାଦ କରେ, କାନ୍ଦେ।

ଝିଅର ସ୍ୱରରୁ ତା’ର ବୟସ ମୁଁ ଅନୁମାନ କରିବାକୁ ଚେଷ୍ଟା କରେ। ଛୋଟ ଛୁଆଙ୍କ ପରି ସ୍ୱର କିନ୍ତୁ ଛୋଟ ନୁହେଁ ବୋଧେ। କେବଳ ଗେହ୍ଲେଇ ହୋଇ କଥା ହୁଏ – ବୋଧେ। କାରଣ- ‘ଆମ ଅଫିସ୍‌ରେ ଆଜି ଆମ୍ବ ଭୋଜି ହୋଇଥିଲା’ କହିବାର ଝିଅକୁ ଶୁଣିଥିଲି। କିନ୍ତୁ ଦିନେ ଯେବେ ସଜନୀକୁ, ଯେତେବେଳେ ସେ ଆମ ଘରେ କାମ କରୁଥିଲା, ପଚାରିଥିଲି – “ପଛପଟ ଘରେ କିଏ ସେ ସ୍ତ୍ରୀ ଲୋକ, ଯିଏ ଯେତେବେଳେ ଦେଖ ଚିଲଉଥିବ?”। ସଜନୀ କହିଥିଲା – “ହେ, ଭଲ ଲୋକ ସେ। କିନ୍ତୁ ହାଇପର୍। ଝିଅ ପାଠ ନ ପଢ଼ିଲେ ପାଟି କରନ୍ତି”। ବେଳେବେଳେ ଝିଅକୁ ବାହାନା କରି ବାହାରକୁ ଯିବାର ଶୁଣିବାକୁ ମିଳେ, ବିଶେଷ କରି ଯେତେବେଳେ ବାପା-ମାଆ ଘରେ ନଥାନ୍ତି। “ମାଆ ମୁଁ ଟିକେ ଆସୁଛି”, “କୁଆଡ଼େ ଯାଉଛୁ?”, “ଆମ୍ବ ସରିଯାଇଛି, ଯାଉଛି ଆଣିବି”। “ହେ, ଆମ୍ବ ବା ସକାଳେ ବାପା ଆଣିଥିଲା, ସେ ଫ୍ରିଜ୍ ଉପରେ ଝୁଡ଼ିରେ ଅଛି”। ହେଲେ ବି ଝିଅ ପଳାଏ- ବୋଧେ ଶାନ୍ତିରେ ନିଶ୍ୱାସ ନେବା ପାଇଁ। ମୁଣ୍ଡ ହାଲୁକା କରିବାକୁ। ନା କାହାକୁ ଭେଟିବା ପାଇଁ! ଆମ ଘର ସାମ୍ନା ରାସ୍ତା ତିଆରି ହେଉଥିଲା ବେଳେ ଦିନେ ପଛପଟ ଗଳିରେ ସେଇ ଦୁଇ ମହଲା ଘର ସାମ୍ନା ଦେଇ ଗଲାବେଳକୁ ଗୋଟିଏ ବାଲକୋନୀରେ ମୁଣ୍ଡ ଶୁଖାଉଥିବାର ଗୋଟେ ଝିଅକୁ ଦେଖିଥିଲି। ସେ ସେଇ ଝିଅ କି ନୁହେଁ କହିପାରିବି ନାହିଁ। ଅବଶ୍ୟ ତା’ ଚେହେରାରୁ ତା’ର ସ୍ୱର ଏତେ କଅଁଳ ହୋଇଥିବ ବୋଲି ମତେ ଲାଗିନଥିଲା। ଯଦିଓ ମୋ ଗାଡ଼ିର ଗତି ସହ ତାଳ ଦେଇ ତା’ର ଆଖି ମତେ ଚାହିଁଥିଲା। ମୁଁ ବାରିପଟେ ଗଛଙ୍କ ଯତ୍ନ ନେଉଥିଲା ବେଳେ କିଛି ଝରକା ବେଳେବେଳେ ଖୋଲାଥାଏ। ଲାଗେ କିଏ ଗୋଟେ ଉପର ଘର ଡାହାଣ ପଟ ଝରକାରୁ ଚାହୁଁଛି। କଥାବାର୍ତ୍ତା ହଠାତ୍ ଚୁପ୍ ହୋଇଯାଏ। ମୁଁ ଧ୍ୟାନ ଦିଏନି। କେବଳ ଶୁଣେ।

ଏବେ ବାରିପଟେ କୁଣ୍ଡରେ ଖତ ଦେଉଛି। ଅନାବନା ଘାସ ଉପାଡୁଛି। ପଛ ଘରେ ଥରେ ଦୁଇଥର କଲିଂ ବେଲ୍ ବାଜିଲାଣି। କେହି ବୋଧେ କବାଟ ନ ଖୋଲିବାରୁ ସେ ଝିଅ ତା’ ସ୍ୱାଭାବିକ କଅଁଳ ସ୍ୱରରେ ଛୋଟ ପିଲାଙ୍କ ପରି କହୁଛି – ‘ଖୋଲ। ଖୋଲ। କବାଟ ଖୋଲ। ମତେ ଆସିବାକୁ ଦିଅ।’ ପିଲାବେଳେ ମିଳୁଥିବା ଧଳାରେ ନୀଳ କ୍ୟାପ୍ ଥିବା ରେନଲ୍ଡସ୍ କଲମ ଆଣି ଗୋଟେ ଏବେ ଭଉଣୀ ଦେଇଛି। କହିଲା – ‘ଲେଖିବୁ’। କେବଳ ଶୁଣି ହେଉଥିବା ଝିଅକୁ ନେଇ କ’ଣ ଗୋଟେ ଗପ ଲେଖାଯାଇପାରିବ?

You may also like

Comments

No Comments

Leave a comment

Your email address will not be published. Required fields are marked *