BLOG
ପକ୍ଷୀଙ୍କ ସ୍ୱର୍ଗ – ଶିମିଳିପାଳ
ଶିମିଳିପାଳର ରହସ୍ୟମୟୀ ରାତିରେ Collared Scop Owl, Brown Fish Owl ପେଚାଙ୍କ ହୁଟ୍ହୁଟ୍, Nightjar (ଭୁଇଁଛାପୁଲି) ର ଚୁକ୍ଚୁକ୍, Jungle Bush Quail (ଗୁଣ୍ଡୁରି) ର ହୁଇହୁଇ ସହ ମଝିରେ ମଝିରେ Indian Peafowl (ମୟୁର) ଝିଙ୍କାରୀଙ୍କ ଡ଼ାକ ଶୁଣି କିଛି ସମୟ ଶୋଇ ପଡିଲେ ଦିନଯାକର ସବୁ ହାଲିଆ ମେଣ୍ଟିଯାଏ । ଯଦି ବି ମେଣ୍ଟିନଥାଏ ତାହେଲେ ସକାଳର ଦୃଶ୍ୟ ଦେଖି ମଣିଷ ନିଜକୁ ଆଉ ଆୟତରେ ରଖିପାରେନାହିଁ । କାରଣ ସୂର୍ଯ୍ୟର ପ୍ରଥମ ଆଲୁଅ ଶିମିଳିପାଳର କୁହୁଡି ଲେସା ଜଙ୍ଗଲରେ ପଡ଼ିବା ମାତ୍ରେ ଆରମ୍ଭ ହୋଇଯାଏ ଉତ୍ସବ – ସୃଷ୍ଠିର, ଜୀବର, ଜୀବନର। ଜାତିଜାତିକା ଚଢେଇଙ୍କ କାକଳୀରେ ନିଦରୁ ଉଠି ବସିପଡ଼େ ଓଡ଼ିଶାର ସ୍ୱର୍ଗ – ଶିମିଳିପାଳ ।
ମୟୁରଭଞ୍ଜ ଜିଲ୍ଲାରେ ଅବସ୍ଥିତ ୨୭୫୦ ବର୍ଗ କିଲୋମିଟର ବ୍ୟାପ୍ତ ଶିମିଳିପାଳ ପ୍ରକୃତିର ଓଡ଼ିଶାକୁ ଏକ ବରଦାନ । ଏକାଧାରରେ ଅଭୟାରଣ୍ୟ, ଜୈବମଣ୍ଡଳ, ବ୍ୟାଘ୍ର ପ୍ରକଳ୍ପର ମାନ୍ୟତା ପାଇଥିବା ଶିମିଳିପାଳରେ ଦେଖାଯାଉଥିବା ୫ ପ୍ରକାରର ଜଙ୍ଗଲ, ୧୨ଟି ନଦୀ ସମୃଦ୍ଧ କରିଛନ୍ତି ଏହାର ଜୈବ ବିବିଧତାକୁ । ପ୍ରାୟ ୩୬୦ରୁ ଉର୍ଦ୍ଧ୍ୱ ଜାତିର ପକ୍ଷୀଙ୍କ ଘର ହେଉଛି ଶିମିଳିପାଳ ।

ଶିମିଳିପାଳର ପକ୍ଷୀଙ୍କ କଥା କହିଲେ Malbar Pied Hornbill (କୋଚିଲାଖାଇ) ଓ Hill Myna (ଶାରୀ)ଙ୍କ କଥା ପ୍ରଥମେ ଆସେ । ଘଞ୍ଚ ଜଙ୍ଗଲରେ ଧାଡିଧାଡି ହୋଇ କୋଚିଲାଖାଇ ଚଢେଇଙ୍କର ଉଡିବାର ଦୃଶ୍ୟ ଦେଖିଲେ ପେଟ ପୁରିଯାଏ । ଶିମିଳିପାଳରେ ଉଭୟ Oriental ଏବଂ Malbar Pied Hornbill ପ୍ରଚୁର ସଂଖ୍ୟାରେ ମାଟୁଘର ଅଞ୍ଚଳରେ ଦେଖାଯାଆନ୍ତି । କଳା ହଳଦିଆ ଶାରୀ ବା Hill Myna ମାନେ ଶିମିଳିପାଳରେ ଏକଦା ଏତେ ସଂଖ୍ୟାରେ ଦେଖା ଯାଉଥିଲେ ଯେ ଜେନାବିଲ ନିକଟରେ ଗୋଟିଏ ସ୍ଥାନର ନାମ ଶାରୁଅ ଦିଆ ଯାଇଥିଲା । ବର୍ତ୍ତମାନ କିନ୍ତୁ ଏମାନେ କେବଳ ବାରହାକାମୁଡା, ଚହଲା, ଜେନାବିଲ ଆଦି ସ୍ଥାନମାନଙ୍କରେ ସୀମିତ ହୋଇଯାଇଛନ୍ତି । ସଂଧ୍ୟା ସମୟରେ ଏମାନଙ୍କର ଶ୍ରୃତିମଧୁର ହୁଇସିଲ୍ ପରି ସ୍ୱର ମନମୁଗ୍ଧକର ।ଶିମିଳିପାଳର ଆଉ ଏକ ଗୀତ ଗାଉଥିବା ଚଢେଇ ହେଉଛି White rumped Shama । ଶୀତ ସକାଳେ ନଅଣା ଉପତ୍ୟକା ଗୁଞ୍ଜରି ଉଠେ ଏହି ଲମ୍ବାଲାଞ୍ଜିଆଙ୍କ ଗୀତରେ ।
ପୂର୍ବ ଶିମିଳିପାଳର ତୀକ୍ଷ୍ଣ ପଥୁରିଆ ରାସ୍ତମାନଙ୍କରେ ଦେଖାଯାଆନ୍ତି Blue-bearded Bee Eater । ମଣିଷ ଉପସ୍ଥିତିକୁ ଏମାନେ ଜାଣିପାରନ୍ତି ଓ ପାଖକୁ ଗଲେ ଉଡିଯାନ୍ତି ଗଛ ଡାଳକୁ । ଶିମିଳିପାଳର ଆଉ ଏକ ବିରଳ ଚଢେଇ ହେଉଛି Malbar Trogon । ଏଇ ଜାତିର ପୁରୁଷ ଚଢେଇକୁ ସବୁବେଳେ ଡାଳରେ ଦେହକୁ ପଛକୁ କରି ବସିଥିବାର ଦେଖାଯାଏ । ମାଟିଆ ଡାଳରେ ଏହାର ରକ୍ତ ପରି ଚହଟୁଥିବା ବାଦାମୀନାଲି ରଙ୍ଗର ତଳଭାଗ ଦେହର ସମ୍ପୂର୍ଣ୍ଣ ଦୃଶ୍ୟ ଭାଗ୍ୟରେ ଥିଲେ ମିଳେ । ସୁନ୍ଦର ଶାଗୁଆ ରଙ୍ଗର କପୋତ Thick-billed Green Pigeon ଶିମିଳିପାଳର ସବୁଠୁ ଆକର୍ଷଣୀୟ କପୋତ ପ୍ରଜାତି । ପାହାଡ଼ରେ ତାଙ୍କର ବସାବାନ୍ଧିବାର ତଥ୍ୟକୁ ଅନୁଧ୍ୟାନ କଲେ ରାଜ୍ୟରେ ଏଇ ଚଢେଇଙ୍କର ସଂଖ୍ୟା ବଢୁଥିବାର ସୂଚନା ମିଳେ । ପୂର୍ବରୁ ଏମାନେ କେବଳ ଭାରତର ଉତ୍ତରପୂର୍ବ ପର୍ବତାମାଳାରେ ସୀମିତ ଥିବାର ଶୁଣିବାକୁ ମିଳୁଥିଲେ ମଧ୍ୟ ଶିମିଳିପାଳର ଗୁଡୁଗୁଡିଆ, ପିଠାବଟା, ଜେନାବିଲ ଆଦି ସ୍ଥାନମାନଙ୍କରେ ଏମାନଙ୍କ ଉପସ୍ଥିତିରୁ ସେମାନେ ଏଠାକାର ସ୍ଥାନୀୟ ପକ୍ଷୀ(Endemic) ବୋଲି ଉପଲବ୍ଧି ହୁଏ । Yellow-footed Green Pigeonକୁ ଶିମିଳିପାଳରେ ହରଡ ପକ୍ଷୀ ବୋଲି କୁହନ୍ତି । ଗୁରୁଣ୍ଡିଆ, ଭଞ୍ଜବସାର ଶାଳ ଜଙ୍ଗଲରେ ଏମାନଙ୍କୁ ବସା କରିଥିବାର ଲକ୍ଷ୍ୟ କରଯାଏ ।
ଶିମିଳିପାଳରେ ବୁଲୁଥିବା ସମୟରେ ଉଚ୍ଚ ଗଛ ଆଢୁଆଳରେ ଦେଖାଯାଏ ସାପ ପରି ଲାଞ୍ଜଟିଏ – Green billed Malkohaର । ଶିମିଳିପାଳରେ ସାଧାରଣରେ ଦେଖାଯାଉଥିଲେ ମଧ ଏମାନଙ୍କୁ ଠାବ କରିବା ଖୁବ୍ କଷ୍ଟକର ।
ଶିମିଳିପାଳର ପୂର୍ବଦିଗରେ ପୋଡାଡିହା ନିକଟରେ ଦେଖାଯାଏ ଉଭୟ ଶୁଖିଲା ପତ୍ରଝଡା ଓ ଅସ୍ଥାୟୀ ସବୁଜ ଜଙ୍ଗଲ । ସେଠାରୁ ନାଳଖଞ୍ଜା ଆଡକୁ ଗଲେ ଦେଖାଯାଏ କାଠହଣାର ସବୁଠୁ କ୍ଷୁଦ୍ର ପ୍ରଜାତି Speckled Piculets ।Speckled Piculets ଶିମିଳିପାଳରେ ଦେଖାଯାଉଥିବା ସବୁଠୁ କ୍ଷୁଦ୍ର କାଠହଣା ପ୍ରଜାତି । ବୁଦାବୁଦି ଭିତରେ ବୁଲି ପୋକ ଖାଉଥିବା ବେଳେ ଏମାନଙ୍କର ସ୍ୱର ପରିବେଶକୁ କୋଳାହଳମୟ କରିଦିଏ । ଏଠାର ସ୍ଥାନୀୟ Grey-headed Woodpecker ଶିମିଳିପାଳ ବ୍ୟତୀତ କେବଳ ହିମାଳୟ ପାଦଦେଶରେ ହିଁ ଦେଖିବାକୁ ମିଳିଥାନ୍ତି । କୌଣସି ଗଛର ଫଳ ପାଚିଲେ ବିଭିନ୍ନ ଜାତିର ପକ୍ଷୀ ଯେପରି – Brown-headed Barbet (କୁତୁରୁ), Coppersmith Barbet, Black-naped Oriole, Plum-headed Parakreets, Chestnut-tailed Starling ମିଶିକି ଗଛକୁ ଆକ୍ରମଣ କରିବାର ଦୃଶ୍ୟ ଏଠାକାର ନିଆରା । ସୁନ୍ଦର Vernal Hanging Parrot, Black crested Bulbul ଶିମିଳିପାଳର ସାଧାରଣ ଜାତି । ଗଛର ଫଳ ପାଚିଲେ ଅନ୍ୟ ପକ୍ଷୀ ଯେପରି Coppersmith Barbet, Greenish Warblerଙ୍କ ସହ ମିଶି ଏମାନେ ଡାଳରୁ ଡାଳ ବୁଲି ଖାଉଥିବାର ଦୃଶ୍ୟ ଦେଖାଯାଏ ।
ଶିମିଳିପାଳରେ ପକ୍ଷୀମାନଙ୍କ କାର୍ଯ୍ୟକଳାପ ଉପଭୋଗ କରିବା ପାଇଁ ନଈକୂଳ ଉପଯୁକ୍ତ ସ୍ଥାନ । ପାଟବିଲ ଠାରେ ପଶ୍ଚିମ-ଦେଓ ନଦୀତଟରେ ସକାଳୁ Bronzed Drongoର ଉଚ୍ଚ ସ୍ୱରରେ ସ୍ୱର ଦେଇ କାମରେ ଲାଗିଯାଆନ୍ତି ଅନେକ ଜାତିର ପକ୍ଷୀସବୁ । ସୂର୍ଯ୍ୟ ଆଲୁଅ ଟିକେ ଉଜ୍ଜ୍ୱଳ ହୋଇଗଲେ Purple-rumped Sunbird (ତିଟିଂ) ଚଢେଇ ଆରମ୍ଭ କରିଦିଏ ବିଭିନ୍ନ ଜଙ୍ଗଲୀ ଫୁଲରୁ ରସ ସଂଗ୍ରହର ଦୈନନ୍ଦିନ କାର୍ଯ୍ୟକ୍ରମ । Taiga Flycatcher, Oriental Turtle Dove, Velvet-fronted Nuthatches, Greater Yellow-naped Woodpecker, Scarlet Minivets, Small Minivets ପରି ବିଭିନ୍ନ କିସମର ପକ୍ଷୀଙ୍କର କାର୍ଯ୍ୟକଳାପ ଲକ୍ଷ୍ୟ କରିବାପାଇଁ ବଢିଆ ସ୍ଥାନହେଉଛି ଦକ୍ଷିଣ ଶିମିଳିପାଳର ଉପର ବାରହାକାମୁଡ଼ା, ପାଟବିଲ ଓ ପଶ୍ଚିମ ଦେଓ ନଦୀତଟ । ସେଇପରି ନଅଣା ଉପତ୍ୟକାରେ ବୁଢାବଳଙ୍ଗ ନଈ କୂଳେ କୂଳେ କାକରଭିଜା ଘାସରୁ ପୋକ ଖୁଣ୍ଟି ଖାଉଥାଏ Orange-headed Thrush । ଶିମିଳିପାଳର ପ୍ରାୟ ସବୁ ଅଞ୍ଚଳରେ ଦେଖାଯାଉଥିବା ଏହା ଏକସାଧାରଣ ପକ୍ଷୀ । ପଳପଳା କୂଳେ କାଳି ପାହାଡ଼ ଆଢୁଆଳେ ସଂଧ୍ୟା ପୂର୍ବରୁ ଭିଡ଼ ଜମେ Painted Spurfowl, Small Minivets, Verditer Flycatcher, Common Woodshrikes, Golden-fronted Leafbird ପରି ଚଢେଇଙ୍କର ।

ଖଇରିବୁରୁ ପରେ ଶିମିଳିପାଳର ଦ୍ୱିତୀୟ ଉଚ୍ଚତମ ସ୍ଥାନ ମେଘାସନୀ ହେଉଛି ଶିମିଳିପାଳର ଶାଳ ଆଚ୍ଛାଦିତ ଘଞ୍ଚଅରଣ୍ୟକୁ ଉପଭୋଗ କରିବାର ପକୃଷ୍ଠ ସ୍ଥାନ ।ଓଡ଼ିଶାର ସବୁଠୁ ଅଧିକ ବୃଷ୍ଟିପାତ ପାଉଥିବା ଅଞ୍ଚଳ ମୋଘାସନୀ ପର୍ବତମାଳା ଏହାର ସ୍ୱତନ୍ତ୍ର ଜଳବାୟୁ, ଅଗଣିତ କିସମର ଫୁଲଫଳ ଗଛ ଯୋଗୁଁ ଜୈବବିବିଧତା ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରେ । ୮୦ ଦଶକରେ ଭାରତର ପକ୍ଷୀବିଶାରଦ ଡକ୍ଟର ସଲ୍ଲିମ ଅଲ୍ଲୀ ଗବେଷଣା ପାଇଁ ଆସି ଏଠାରେ ଦେଖିଥିଲେ Shaheen Falconକୁ । ମେଘାସନୀର ଉଚ୍ଚ ଶିଖର ସବୁ Hawk Eagle, Common Krestel, Oriental Honey Buzzard ପରି ଶିକାରୀ ପକ୍ଷୀଙ୍କର ପ୍ରଜନନ ସ୍ଥାନ ।
ଶିମିଳିପାଳରେ ଏକ ସ୍ଥାନ ରହିଛି ଯାହାର ନାମ ହେଉଛି ‘ଦେବସ୍ଥଳୀ’ । ସତ କହିବାକୁ ଗଲେ ସମ୍ପୂର୍ଣ୍ଣ ଶିମିଳିପାଳରେ ହିଁ ଅନୁଭବ କରିହୁଏ ଇଶ୍ୱରୀୟ ସତ୍ତାକୁ । ଅନୁଭବ ହୁଏ ଏହା ଅନ୍ୟ ଏକ ଗ୍ରହ – ସ୍ୱର୍ଗିୟ କିନ୍ତୁ ଏ ଜୀବନରେ ହିଁ ଦୃଶ୍ୟମାନ । ସଂରକ୍ଷଣ ଦୃଷ୍ଟିକୋଣରୁ ଶିମିଳିପାଳ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଡକ୍ଟର ସଲିମଅଲ୍ଲୀଙ୍କର ଏଠାକୁ ବାରମ୍ବାର ଯାତ୍ରା ସୂଚାଏ । ଗ୍ଲୋବାଲ୍ ୱାର୍ମିଂ, କ୍ଲାଇମେଟ ଚେଞ୍ଜ ପାଇଁ କେବେ ଶିମିଳିପାଳକୁ ହରେଇବା ଆଶଙ୍କା ମନକୁ ଆସିଲା କ୍ଷଣି ହିଁ ଆଖିକୁ ଲୁହ ଚାଲିଆସେ । ଶିମିଳିପାଳକୁ ହରାଇବା ନିଜ ଜୀବନ ହାରିବା ସହ ସମାନ । ଏହାକୁ ସୁରକ୍ଷା ଯୋଗାଉଥିବା ବ୍ୟକ୍ତି ସମୂହ ଓ ଓଡ଼ିଶାର ଜନସାଧାରଣ ଶିମିଳିପାଳକୁ ଭଗବାନଙ୍କ ଆଶୀର୍ବାଦ ଓ ଦାୟିତ୍ୱଭାବେ ଗ୍ରହଣ କରନ୍ତୁ ତାହାହିଁ ଜୀବନର ଶେଷ ଅନୁରୋଧ ।




Comments
No Comments